Skip to content
CLYVNIQWalk Through the Bible

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ପ୍ରଥମ ବଂଶାବଳୀ 11

1ଏଥିଉତ୍ତାରେ ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। 2ଗତ ଦିନରେ ଶାଉଲ ରାଜା ଥିଲା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ କହିଅଛନ୍ତି, ‘ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କର ଅଗ୍ରଣୀ ହେବ।’” 3ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ; ପୁଣି, ଶାମୁୟେଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ। 4ଏଥିଉତ୍ତାରେ ଦାଉଦ ଓ ସମଗ୍ର ଇସ୍ରାଏଲ ଯିରୂଶାଲମକୁ, ଅର୍ଥାତ୍‍, ଯିବୂଷକୁ ଗଲେ; ସେହି ସମୟରେ ଦେଶ ନିବାସୀ ଯିବୂଷୀୟମାନେ ସେଠାରେ ଥିଲେ। 5ତହିଁରେ ଯିବୂଷ ନିବାସୀମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସିପାରିବ ନାହିଁ।” ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ହସ୍ତଗତ କଲେ; ତାହା ଦାଉଦ-ନଗର ହେଲା। 6ଆଉ ଦାଉଦ କହିଲେ, “ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ।” ତହିଁରେ ସରୁୟାର ପୁତ୍ର ଯୋୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା। 7ପୁଣି, ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ; ଏହେତୁ ଲୋକମାନେ ତାକୁ ଦାଉଦ-ନଗର ନାମ ଦେଲେ। 8ଆଉ ଦାଉଦ ଚତୁର୍ଦ୍ଦିଗରେ, ଅର୍ଥାତ୍‍, ମିଲ୍ଲୋଠାରୁ ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ; ପୁଣି, ଯୋୟାବ ନଗରର ଅବଶିଷ୍ଟ ସ୍ଥାନ ପୁନଃନିର୍ମାଣ କଲେ। 9ତହୁଁ ଦାଉଦ ଆହୁରି ଆହୁରି ମହାନ ହେଲେ; କାରଣ ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କ ସହ ଥିଲେ। 10ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ। 11ଦାଉଦଙ୍କର ବୀରମାନଙ୍କ ସଂଖ୍ୟା; ଜଣେ ହକ୍‍ମୋନୀୟର ପୁତ୍ର ଯାଶ୍‍ବୀୟାମ୍‍ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଥିଲା; ସେ ତିନି ଶହ ଲୋକ ଉପରେ ଆପଣା ବର୍ଚ୍ଛା ଚଳାଇ ଏକାବେଳେ ସେମାନଙ୍କୁ ବଧ କରିଥିଲା। 12ପୁଣି, ତାହା ଉତ୍ତାରେ ଅହୋହୀୟ ଦୋଦୟର ପୁତ୍ର ଇଲୀୟାସର, ସେ ତିନି ବୀରଙ୍କ ମଧ୍ୟରେ ପ୍ରଧାନ ଥିଲା। 13ସେ ପଶଦମ୍ମୀମରେ ଦାଉଦଙ୍କ ସଙ୍ଗରେ ଥିଲା, ସେଠାରେ ପଲେଷ୍ଟୀୟମାନେ ଯୁଦ୍ଧାର୍ଥେ ଏକତ୍ର ହୋଇଥିଲେ, ସେଠାରେ ଯବପୂର୍ଣ୍ଣ ଖଣ୍ଡେ ଭୂମି ଥିଲା; ଆଉ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଉଥିଲେ; 14ଏଥିରେ ସେମାନେ ସେହି ଭୂମିଖଣ୍ଡ ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲେ ଓ ପଲେଷ୍ଟୀୟମାନଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହା ଜୟ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ। 15ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶୈଳକୁ, ଅର୍ଥାତ୍‍, ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟ ସୈନ୍ୟ ରଫାୟୀମ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ। 16ପୁଣି, ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ। 17ଏଥିରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ, କେହି ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପର ଜଳ ପାନ କରିବାକୁ ମୋତେ ଦିଅନ୍ତା କି!” 18ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ, 19“ମୋʼ ପରମେଶ୍ୱର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ; ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ସେମାନେ ପ୍ରାଣପଣରେ ତାହା ଆଣିଅଛନ୍ତି।” ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ। ଏହି ସକଳ କର୍ମ ସେହି ତିନି ବୀର କରିଥିଲେ। 20ସେହି ତିନି ଜଣଙ୍କ ମଧ୍ୟରେ ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା; କାରଣ ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା; ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା। 21ଏହି ତିନିଙ୍କ ମଧ୍ୟରେ ସେ ଦୁଇ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା ଓ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା। 22ପରାକ୍ରାନ୍ତ କର୍ମକାରୀ କବ୍‍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟେଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା। 23ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତକାୟ ଏକ ମିସରୀୟ ପୁରୁଷକୁ ବଧ କଲା; ସେହି ମିସରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଚ୍ଛା ଥିଲା; ପୁଣି, ବନାୟ ଏକ ଯଷ୍ଟି ନେଇଯାଇ ସେହି ମିସରୀୟର ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା। 24ଯିହୋୟାଦାର ପୁତ୍ର ବନାୟ ଏହିସବୁ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା। 25ଦେଖ, ସେ ତିରିଶ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ-ଦଳ ଉପରେ ନିଯୁକ୍ତ କଲେ। 26ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ; ଯଥା, ଯୋୟାବର ଭ୍ରାତା ଅସାହେଲ, ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍‍ହାନନ୍‍; 27ହରୋରୀୟ ଶମ୍ମୋତ୍‍, ପଲୋନୀୟ ହେଲସ୍‍, 28ତକୋୟୀୟ ଇକ୍‍କେଶର ପୁତ୍ର ଈରା, ଅନାଥୋତୀୟ ଅବୀୟେଷର; 29ହୂଶାତୀୟ ସିବ୍ବଖୟ, ଅହୋହୀୟ ଈଲୟ; 30ନଟୋଫାତୀୟ ମହରୟ, ନଟୋଫାତୀୟ ବାନାର ପୁତ୍ର ହେଲଦ୍‍; 31ବିନ୍ୟାମୀନ୍-ସନ୍ତାନଗଣର ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ, ପିରୀୟାଥୋନୀୟ ବନାୟ; 32ଗାଶ୍‍-ନଦୀତୀର ନିବାସୀ ହୂରୟ, ଅର୍ବତୀୟ ଅବୀୟେଲ; 33ବାହାରୁମୀୟ ଅସ୍ମାବତ୍‍, ଶାଲ୍‍ବୋନୀୟ ଇଲୀୟହବା; 34ଗିଷୋନୀୟ ହାଷେମ୍‍ର ପୁତ୍ରଗଣ, ହରାରୀୟ ଶାଗିର ପୁତ୍ର ଯୋନାଥନ; 35ହରାରୀୟ ସାଖରର ପୁତ୍ର ଅହୀୟାମ, ଊରର ପୁତ୍ର ଇଲୀଫାଲ; 36ମଖେରାତୀୟ ହେଫର, ପଲୋନୀୟ ଅହୀୟ; 37କର୍ମିଲୀୟ ହିଷ୍ରୟ, ଇଷ୍‍ବୟର ପୁତ୍ର ନାରୟ; 38ନାଥନର ଭ୍ରାତା ଯୋୟେଲ, ହଗ୍ରିର ପୁତ୍ର ମିଭର; 39ଅମ୍ମୋନୀୟ ସେଲକ୍‍, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବେରୋତୀୟ ନହରୟ; 40ଯିତ୍ରୀୟ ଈରା ଓ ଗାରେବ୍‍; 41ହିତ୍ତୀୟ ଊରୀୟ, ଅହଲୟର ପୁତ୍ର ସାବଦ୍‍, 42ରୁବେନୀୟ ଶୀଷାର ପୁତ୍ର ଅଦୀନା, ଏ ରୁବେନୀୟମାନଙ୍କର ଜଣେ ପ୍ରଧାନ ଥିଲା ଓ ତାହା ସଙ୍ଗେ ତିରିଶ ଜଣ ଥିଲେ; 43ମାଖାର ପୁତ୍ର ହାନନ୍‍, ମିତ୍ନୀୟ ଯୋଶାଫଟ୍‍; 44ଅଷ୍ଟାରୋତୀୟ ଉଷୀଅ; ଅରୋୟେରୀୟ ହୋଥମ୍‍ର ପୁତ୍ର ଶାମ୍‍ ଓ ଯିୟୀୟେଲ୍‍; 45ଶିମ୍ରିର ପୁତ୍ର ଯିଦୀୟେଲ ଓ ତାହାର ଭ୍ରାତା ତୀଷୀୟ ଯୋହା; 46ମହବୀୟ, ଇଲୀୟେଲ୍‍, ଇଲ୍‍ନାମର ପୁତ୍ର ଯିରୀବୟ ଓ ଯୋଶବୀୟ, ଆଉ ମୋୟାବୀୟ ଯିତ୍ମା; 47ଇଲୀୟେଲ୍‍, ଓବେଦ୍‍ ଓ ମସୋବାୟୀୟ ଯାସୀୟେଲ୍‍।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · License