ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 58
1ପ୍ରକୃତରେ କି ତୁମ୍ଭେମାନେ ନୀରବ ହୋଇ ଧର୍ମନୀତି କହୁଅଛ? ହେ ମନୁଷ୍ୟ-ସନ୍ତାନଗଣ, ତୁମ୍ଭେମାନେ କି ନ୍ୟାୟରେ ବିଚାର କରୁଅଛ? 2ବରଞ୍ଚ ତୁମ୍ଭେମାନେ ହୃଦୟରେ ଦୁଷ୍ଟତା ସାଧନ କରୁଅଛ; ତୁମ୍ଭେମାନେ ଦେଶରେ ସ୍ୱହସ୍ତର ଦୌରାତ୍ମ୍ୟ ତୌଲୁଅଛ। 3ଦୁଷ୍ଟମାନେ ଗର୍ଭରୁ ବିପଥଗାମୀ; ସେମାନେ ଜନ୍ମଠାରୁ ମିଥ୍ୟା କହି କହି ବିପଥରେ ଗମନ କରନ୍ତି। 4ସେମାନଙ୍କର ବିଷ ସର୍ପର ବିଷ ତୁଲ୍ୟ; ସେମାନେ କର୍ଣ୍ଣରୋଧକାରିଣୀ ବଧିରା କାଳସର୍ପିଣୀ ତୁଲ୍ୟ; 5ସାପୁଡ଼ିଆମାନେ ଯେତେ ନିପୁଣ ଭାବରେ ମନ୍ତ୍ର ପଢ଼ିଲେ ହେଁ, ସେ ସେମାନଙ୍କ ସ୍ୱର ଶୁଣେ ନାହିଁ। 6ହେ ପରମେଶ୍ୱର, ସେମାନଙ୍କ ମୁଖରେ ସେମାନଙ୍କ ଦନ୍ତ ଭାଙ୍ଗି ପକାଅ; ହେ ସଦାପ୍ରଭୋ, ଯୁବା ସିଂହମାନଙ୍କର କଳଦନ୍ତ ଭାଙ୍ଗି ପକାଅ। 7ସେମାନେ ବହନ୍ତା ଜଳ ପରି ତରଳି ଯାଉନ୍ତୁ; ସେ ଆପଣା ତୀର ଲକ୍ଷ୍ୟ କରିବା ବେଳେ ତାହାସବୁ ଛିନ୍ନ ତୀର ତୁଲ୍ୟ ହେଉ। 8ଯେଉଁ ଶାମୁକା ଯାଉ ଯାଉ ତରଳି ଯାଏ ଓ ସ୍ତ୍ରୀର ଯେଉଁ ଅକାଳଜାତ ସନ୍ତାନ ସୂର୍ଯ୍ୟ ଦେଖି ନାହିଁ, ତାହାରି ପରି ସେମାନେ ହେଉନ୍ତୁ। 9ତୁମ୍ଭମାନଙ୍କ ହାଣ୍ଡି କଣ୍ଟକ ସ୍ପର୍ଶ ନ କରିବା ପୂର୍ବରୁ ସେ କଞ୍ଚା ଓ ପୋଡ଼ା ସମସ୍ତ ଘୂର୍ଣ୍ଣିବାୟୁରେ ଉଡ଼ାଇ ନେବେ। 10ଧାର୍ମିକ ଲୋକ ପ୍ରତିଫଳ ଦେଖି ଆନନ୍ଦ କରିବ; ସେ ଦୁଷ୍ଟମାନଙ୍କ ରକ୍ତରେ ଆପଣା ପାଦ ଧୋଇବ। 11ତହିଁରେ ଲୋକମାନେ କହିବେ, ନିଶ୍ଚୟ ଧାର୍ମିକ ଲୋକ ପାଇଁ ପୁରସ୍କାର ଅଛି; ନିଶ୍ଚୟ ପୃଥିବୀରେ ବିଚାରକର୍ତ୍ତା ଏକ ପରମେଶ୍ୱର ଅଛନ୍ତି।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · License