Ir al contenido
CLYVNIQRecorre la Biblia

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ପ୍ରେରିତ 22

1ଭାଇମାନେ ଓ ପିତାମାନେ, ମୁଁ ଆପଣମାନଙ୍କ ନିକଟରେ ବର୍ତ୍ତମାନ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶୁଣନ୍ତୁ। 2ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ। 3ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିୟାର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍‌ଯୋଗୀ ଅଟନ୍ତି, ଈଶ୍ବରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍‍ଯୋଗୀ ଥିଲି; 4ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି। 5ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେଶକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମ ସହରକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି। 6କିନ୍ତୁ ମୁଁ ଯାଉ ଯାଉ ଦମ୍ମେଶକ ସହରର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍‍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା। 7ମୁଁ ସେଥିରେ ଭୂମିରେ ପଡ଼ିଗଲି, ଆଉ ମୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, ଆମ୍ଭମାନଙ୍କୁ କାହିଁକି ତାଡ଼ନା କରୁଅଛ?” 8ମୁଁ ଉତ୍ତର ଦେଲି, ପ୍ରଭୁ, ଆପଣ କିଏ? ସେଥିରେ ସେ ମୋତେ କହିଲେ, “ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି।” 9ଯେଉଁମାନେ ମୋ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ସେମାନେ ତାହାଙ୍କ ସ୍ୱର ଶୁଣିଲେ ନାହିଁ। 10ସେଥିରେ ମୁଁ କହିଲି, ପ୍ରଭୁ ମୁଁ କଅଣ କରିବି? ପୁଣି, ପ୍ରଭୁ ମୋତେ କହିଲେ, “ଉଠ, ଦମ୍ମେଶକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେ ସବୁ ତୁମ୍ଭକୁ ସେଠାରେ କୁହାଯିବ।” 11ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ୱାରା ଚାଳିତ ହୋଇ ଦମ୍ମେଶକକୁ ଆସିଲି। 12ସେହି ସ୍ଥାନରେ ଥିବା ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନୀୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ, 13ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ। ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି। 14ପୁଣି, ସେ କହିଲେ, ଆମ୍ଭମାନଙ୍କର ପିତୃ-ପୁରୁଷଙ୍କର ଈଶ୍ବର ତାହାଙ୍କ ଇଚ୍ଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପୁଣି, ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମନୋନୀତ କରିଅଛନ୍ତି, 15କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ସାକ୍ଷୀ ହେବ। 16ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି, ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ। 17ଏଥିଉତ୍ତାରେ ମୁଁ ଯିରୂଶାଲମ ସହରକୁ ଫେରିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୂର୍ଚ୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି। 18ସେ ମୋତେ କହିଲେ, “ବିଳମ୍ବ ନ କରି ଶୀଘ୍ର ଯିରୂଶାଲମ ସହରରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ।” 19ସେଥିରେ ମୁଁ କହିଲି, ପ୍ରଭୁ, ମୁଁ ଯେ ଆପଣଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି; 20ଆଉ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ଯେତେବେଳେ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି, ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି। 21ସେଥିରେ ସେ ମୋତେ କହିଲେ, “ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ଅଣଯିହୁଦୀମାନଙ୍କ ନିକଟକୁ ପଠାଇବୁ।” 22ଲୋକମାନେ ଏହି କଥା ଶୁଣିବା ପରେ ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାହାର ବଞ୍ଚି ରହିବାର ଉଚିତ୍ ନୁହେଁ। 23ପୁଣି, ଯେତେବେଳେ ସେମାନେ ଚିତ୍କାର କରି ନିଜ ନିଜ ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ, 24ସେତେବେଳେ ସହସ୍ର-ସେନାପତି ତାହାଙ୍କୁ ଗଡ଼ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି, ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ। 25ସେମାନେ ପାଉଲଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ, ପାଉଲ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କୁ କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ? 26ସେହି ଶତ-ସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କଅଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ। 27ସେଥିରେ ସହସ୍ର-ସେନାପତି ଆସି ତାହାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ? ସେ କହିଲେ ହଁ। 28ସେଥିରେ ସହସ୍ର-ସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି। ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ। 29ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର-ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ। 30କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି, ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licencia