ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 62
1ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରେ; ତାହାଙ୍କଠାରୁ ମୋହର ପରିତ୍ରାଣ ଆସେ। 2କେବଳ ସେ ମୋହର ଶୈଳ ଓ ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ଅତିଶୟ ବିଚଳିତ ନୋହିବି। 3ନଇଁ ପଡ଼ିଥିବା କାନ୍ଥ ଓ ଟଳଟଳ ପ୍ରାଚୀର ତୁଲ୍ୟ ଜଣେ ମନୁଷ୍ୟକୁ ବଧ କରିବା ପାଇଁ ତୁମ୍ଭେ ସମସ୍ତେ କେତେ କାଳ ଲାଗିଥିବ? 4ସେମାନେ କେବଳ ତାହାର ଉଚ୍ଚ ପଦରୁ ତାହାକୁ ନିପାତ କରିବାକୁ ମନ୍ତ୍ରଣା କରନ୍ତି; ସେମାନେ ମିଥ୍ୟା କଥାରେ ସନ୍ତୁଷ୍ଟ; ସେମାନେ ମୁଖରେ ଆଶୀର୍ବାଦ କରନ୍ତି, ମାତ୍ର ଅନ୍ତରରେ ଅଭିଶାପ ଦିଅନ୍ତି। [ସେଲା] 5ହେ ମୋହର ପ୍ରାଣ, କେବଳ ପରମେଶ୍ୱରଙ୍କର ଅପେକ୍ଷା କର; କାରଣ ତାହାଙ୍କଠାରୁ ମୋହର ପ୍ରତ୍ୟାଶା ଜନ୍ମେ। 6କେବଳ ସେ ମୋହର ଶୈଳ ଓ ମୋହର ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ବିଚଳିତ ନୋହିବି। 7ମୋହର ପରିତ୍ରାଣ ଓ ମୋହର ଗୌରବ ପରମେଶ୍ୱରଙ୍କଠାରେ ଅଛି; ମୋʼ ବଳର ଶୈଳ ଓ ମୋହର ଆଶ୍ରୟ ପରମେଶ୍ୱରଙ୍କଠାରେ ଅଛି। 8ହେ ଲୋକମାନେ, ସବୁବେଳେ ତାହାଙ୍କଠାରେ ନିର୍ଭର କର; ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ; ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆଶ୍ରୟ। [ସେଲା] 9ନିଶ୍ଚୟ ସାମାନ୍ୟ ଲୋକେ ଅସାର ଓ ମାନ୍ୟ ଲୋକେ ମିଥ୍ୟା; ତୌଲରେ ସେମାନେ ଉପରକୁ ଉଠିବେ; ସେମାନେ ସମସ୍ତେ ଅସାରରୁ ଲଘୁ। 10ଦୌରାତ୍ମ୍ୟରେ ନିର୍ଭର ରଖ ନାହିଁ ଓ ଅପହରଣରେ ଦର୍ପୀ ହୁଅ ନାହିଁ; ଧନ ବଢ଼ିଲେ ତହିଁରେ ମନ ଦିଅ ନାହିଁ। 11ପରମେଶ୍ୱର ଥରେ କହିଅଛନ୍ତି, ଆମ୍ଭେ ଦୁଇ ଥର ଏହା ଶୁଣିଅଛୁ ଯେ, ପରାକ୍ରମ ପରମେଶ୍ୱରଙ୍କର ଅଟଇ। 12ଆହୁରି, ହେ ପ୍ରଭୋ; ତୁମ୍ଭଠାରେ ଦୟା ଥାଏ; କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦେଉଅଛ।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licencia