ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 83
1ହେ ପରମେଶ୍ୱର, ତୁମ୍ଭେ ମୌନୀ ହୋଇ ରୁହ ନାହିଁ; ହେ ପରମେଶ୍ୱର, ନୀରବ ଓ ନିରସ୍ତ ହୁଅ ନାହିଁ। 2କାରଣ ଦେଖ, ତୁମ୍ଭ ଶତ୍ରୁଗଣ ଗଣ୍ଡଗୋଳ କରନ୍ତି ଓ ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇଅଛନ୍ତି। 3ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ ମନ୍ତ୍ରଣା କରନ୍ତି ଓ ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର ପରାମର୍ଶ କରନ୍ତି। 4ସେମାନେ କହିଅଛନ୍ତି, “ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ।” 5କାରଣ ସେମାନେ ଏକଚିତ୍ତ ହୋଇ ପରାମର୍ଶ କରିଅଛନ୍ତି; 6ଇଦୋମର ତମ୍ବୁ-ନିବାସୀମାନେ, ଇଶ୍ମାୟେଲୀୟମାନେ, ମୋୟାବ, ହାଗରୀୟମାନେ, 7ଗବାଲ, ଅମ୍ମୋନ, ଅମାଲେକ୍ ଓ ସୋରନି ବାସୀମାନଙ୍କ ସହିତ ପଲେଷ୍ଟୀୟା, ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି। 8ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି; ସେମାନେ ଲୋଟର ବଂଶକୁ ସାହାଯ୍ୟ କରିଅଛନ୍ତି। [ସେଲା] 9ମିଦୀୟନ ଦେଶ ପ୍ରତି, କୀଶୋନ୍ ନଦୀ ନିକଟରେ ସୀଷରା ପ୍ରତି, ଯାବୀନ୍ ପ୍ରତି ଯେରୂପ, ସେରୂପ ସେମାନଙ୍କ ପ୍ରତି କର। 10ସେମାନେ ଐନ୍-ଦୋର ନିକଟରେ ବିନଷ୍ଟ ହେଲେ; ସେମାନେ ଭୂମି ପାଇଁ ଖତ ସ୍ୱରୂପ ହେଲେ। 11ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗକୁ ଓରେବ୍ ଓ ସେବ୍ର ସମାନ, ସେମାନଙ୍କ ଅଧିପତି ସମସ୍ତଙ୍କୁ ହିଁ ସେବହ ଓ ସଲମୁନ୍ନର ସମାନ କର; 12ସେମାନେ କହିଲେ, “ଆସ, ଆମ୍ଭେମାନେ ପରମେଶ୍ୱରଙ୍କ ନିବାସ-ସ୍ଥାନସବୁ ଆପଣା ଆପଣା ଅଧିକାରରେ ନେଉ।” 13ହେ ମୋହର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣାୟମାନ ଧୂଳି ପରି, ବାୟୁ ସମ୍ମୁଖରେ କୁଟା ପରି କର। 14ଯେଉଁ ଅଗ୍ନି ବନକୁ ଦଗ୍ଧ କରେ ଓ ଯେଉଁ ଅଗ୍ନିଶିଖା ପର୍ବତଗଣକୁ ପ୍ରଜ୍ୱଳିତ କରେ; 15ତାହା ପରି ତୁମ୍ଭେ ଆପଣା ଝଡ଼ ଦ୍ୱାରା ସେମାନଙ୍କ ପଛେ ପଛେ ଗୋଡ଼ାଅ ଓ ଆପଣା ପ୍ରଚଣ୍ଡ ବତାସ ଦ୍ୱାରା ସେମାନଙ୍କୁ ଭୟଗ୍ରସ୍ତ କର। 16ହେ ସଦାପ୍ରଭୋ, ସେମାନେ ଯେପରି ତୁମ୍ଭ ନାମ ଅନ୍ୱେଷଣ କରିବେ, ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର; 17ସେମାନେ ସଦାକାଳ ଲଜ୍ଜିତ ଓ ବିହ୍ୱଳ ହେଉନ୍ତୁ; ସେମାନେ ହତାଶ ଓ ବିନଷ୍ଟ ହେଉନ୍ତୁ; 18ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licencia