Aller au contenu
CLYVNIQParcourez la Bible

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଦ୍ବିତୀୟ ବଂଶାବଳୀ 27

1ଯୋଥମ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିରୁଶା, ଯେ ସାଦୋକର କନ୍ୟା ଥିଲେ। 2ପୁଣି, ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ତଥାପି ସେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କଲେ ନାହିଁ। ଆଉ, ଲୋକମାନେ ସେସମୟରେ ହେଁ ଦୁରାଚରଣ କଲେ। 3ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ, ପୁଣି ଓଫଲର ପ୍ରାଚୀର ଉପରେ ଅନେକ ସ୍ଥାନ ନିର୍ମାଣ କଲେ। 4ଆହୁରି, ସେ ଯିହୁଦାର ପର୍ବତମୟ ଦେଶରେ ନାନା ନଗର ଓ ବନରେ ଗଡ଼ ଓ ଦୁର୍ଗସବୁ ନିର୍ମାଣ କଲେ। 5ମଧ୍ୟ ସେ ଅମ୍ମୋନ-ସନ୍ତାନଗଣର ରାଜା ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ; ତହିଁରେ ଅମ୍ମୋନ-ସନ୍ତାନଗଣ ସେହି ବର୍ଷ ତାଙ୍କୁ ଏକ ଶହ ତାଳନ୍ତ ରୂପା ଓ ଦଶ ସହସ୍ର ମହଣ ଗହମ ଓ ଦଶ ସହସ୍ର ମହଣ ଯବ ଦେଲେ। ଅମ୍ମୋନ-ସନ୍ତାନଗଣ ଦ୍ୱିତୀୟ ଓ ତୃତୀୟ ବର୍ଷ ମଧ୍ୟ ସେତିକି ତାଙ୍କୁ ଦେଲେ। 6ଏହିରୂପେ ଯୋଥମ୍‍ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ସମ୍ମୁଖରେ ଆପଣା ପଥ ସଜାଡ଼ିବାରୁ ପରାକ୍ରାନ୍ତ ହେଲେ। 7ଏହି ଯୋଥମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସକଳ ଯୁଦ୍ଧ ଓ ତାଙ୍କର ଆଚରଣ ବିଷୟ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ ଲେଖାଅଛି। 8ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। 9ପୁଣି, ଯୋଥମ୍‍ଙ୍କ ମୃତ୍ୟୁ ପରେ, ଲୋକମାନେ ଦାଉଦ-ନଗରରେ ତାଙ୍କୁ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆହସ୍‌ ତାଙ୍କର ପଦରେ ରାଜ୍ୟ କଲେ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licence