Aller au contenu
CLYVNIQParcourez la Bible

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଯିଶାଇୟ 43

1ମାତ୍ର ହେ ଯାକୁବ, ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ ଏହି କଥା କହନ୍ତି; “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ; ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ, ତୁମ୍ଭେ ଆମ୍ଭର। 2ତୁମ୍ଭେ ଜଳ ମଧ୍ୟଦେଇ ଯିବା ବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା ନଦ-ନଦୀ ମଧ୍ୟରେ ଗମନ କଲେ, ସେହି ସବୁ ତୁମ୍ଭକୁ ମଗ୍ନ କରିବ ନାହିଁ; ତୁମ୍ଭେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ହେବ ନାହିଁ, କିଅବା ଅଗ୍ନିଶିଖା ତୁମ୍ଭର ଦାହ ଜନ୍ମାଇବ ନାହିଁ। 3କାରଣ ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର, ଇସ୍ରାଏଲର ଧର୍ମସ୍ୱରୂପ, ତୁମ୍ଭର ତ୍ରାଣକର୍ତ୍ତା ଅଟୁ; ଆମ୍ଭେ ତୁମ୍ଭ ମୁକ୍ତିର ମୂଲ୍ୟ ସ୍ୱରୂପେ ମିସର ଓ ତୁମ୍ଭ ପରିବର୍ତ୍ତେ କୂଶ ଓ ସବା ଦେଶ ଦେଇଅଛୁ। 4ତୁମ୍ଭେ ଆମ୍ଭ ଦୃଷ୍ଟିରେ ବହୁମୂଲ୍ୟ ଓ ସମ୍ଭ୍ରାନ୍ତ ହୋଇଅଛ ଓ ଆମ୍ଭେ ତୁମ୍ଭକୁ ପ୍ରେମ କରିଅଛୁ; ଏହେତୁ ଆମ୍ଭେ ତୁମ୍ଭ ପରିବର୍ତ୍ତେ ମନୁଷ୍ୟମାନଙ୍କୁ ଓ ତୁମ୍ଭ ପ୍ରାଣର ପରିବର୍ତ୍ତେ ଗୋଷ୍ଠୀବର୍ଗକୁ ଦେବା। 5ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ଆମ୍ଭେ ପୂର୍ବ ଦିଗରୁ ତୁମ୍ଭ ବଂଶକୁ ଆଣିବା ଓ ପଶ୍ଚିମ ଦିଗରୁ ତୁମ୍ଭକୁ ସଂଗ୍ରହ କରିବା; 6ଆମ୍ଭେ ଉତ୍ତର ଦିଗକୁ କହିବା, ‘ଛାଡ଼ିଦିଅ’ ଓ ଦକ୍ଷିଣ ଦିଗକୁ କହିବା, ‘ଅଟକାଇ ରଖ ନାହିଁ;’ ଆମ୍ଭ ପୁତ୍ରଗଣକୁ ଦୂରରୁ ଓ ଆମ୍ଭ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ; 7ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ, ଏପରି ପ୍ରତ୍ୟେକ ଲୋକକୁ ଆଣ; ଆମ୍ଭେ ତାହାକୁ ଗଢ଼ିଅଛୁ; ହଁ, ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।” 8ଚକ୍ଷୁ ଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର, ଏହି ଲୋକଙ୍କୁ ବାହାର କରି ଆଣ। 9ସର୍ବଦେଶୀୟମାନେ ସଂଗୃହୀତ ହେଉନ୍ତୁ ଓ ଗୋଷ୍ଠୀସମୂହ ଏକତ୍ରୀକୃତ ହେଉନ୍ତୁ; ସେମାନଙ୍କ ମଧ୍ୟରେ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଆମ୍ଭମାନଙ୍କୁ ଦେଖାଇ ପାରେ? ସେମାନେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା ଆପଣା ସାକ୍ଷୀଗଣକୁ ଆଣନ୍ତୁ; ଅଥବା ସେମାନେ ଶୁଣି ଏହା ସତ୍ୟ ବୋଲି କୁହନ୍ତୁ। 10ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ, ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ। 11ଆମ୍ଭେ, ଆମ୍ଭେ ହିଁ ସଦାପ୍ରଭୁ ଅଟୁ ଓ ଆମ୍ଭ ଛଡ଼ା ଆଉ ତ୍ରାଣକର୍ତ୍ତା ନାହିଁ। 12ଆମ୍ଭେ ପ୍ରକାଶ କରିଅଛୁ, ଆମ୍ଭେ ଉଦ୍ଧାର କରିଅଛୁ ଓ ଆମ୍ଭେ ଦେଖାଇଅଛୁ, ଆଉ ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀୟ ଦେବତା ନ ଥିଲା; ଏହେତୁ ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।” 13“ହଁ, ଦିବସର ପୂର୍ବରୁ ଆମ୍ଭେ ସେହି ଅଟୁ ଓ ଆମ୍ଭ ହସ୍ତରୁ ଉଦ୍ଧାରକାରୀ କେହି ନାହିଁ; ଆମ୍ଭେ କାର୍ଯ୍ୟ କରିବା, ଆଉ କିଏ ତାହା ଅନ୍ୟଥା କରିବ?” 14ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସକାଶେ ବାବିଲକୁ ଲୋକ ପଠାଇଅଛୁ ଓ ଆମ୍ଭେ ସେସମସ୍ତଙ୍କୁ ପଳାତକଗଣ ତୁଲ୍ୟ ଆଣିବା; କଲ୍‍ଦୀୟମାନଙ୍କୁ ହିଁ ସେମାନଙ୍କର ଆନନ୍ଦଗାନର ନୌକାରେ ଆଣିବା। 15ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।” 16ଯେ ସମୁଦ୍ରରେ ପଥ ଓ ମହାଜଳରାଶିରେ ମାର୍ଗ କରନ୍ତି; 17ଯେ ରଥ ଓ ଅଶ୍ୱ, ସୈନ୍ୟ ଓ ବୀରଗଣକୁ ବାହାର କରି ଆଣନ୍ତି; ସେମାନେ ଏକତ୍ର ତଳେ ଶୋଇ ଆଉ ଉଠିବେ ନାହିଁ, ସେମାନେ ଲୁପ୍ତ ଓ ଛଣପଟ ପରି ଲିଭିଯାʼନ୍ତି; ସେହି ସଦାପ୍ରଭୁ ଏହି କଥା କହନ୍ତି; 18“ତୁମ୍ଭେମାନେ ଆଦ୍ୟ ବିଷୟସବୁ ସ୍ମରଣ କର ନାହିଁ, କିଅବା ପୁରାତନ ବିଷୟସବୁ ବିବେଚନା କର ନାହିଁ। 19ଦେଖ, ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା; ତାହା ଏବେ ଅଙ୍କୁରିତ ହେବ; ତୁମ୍ଭେମାନେ କି ତାହା ଜାଣିବ ନାହିଁ? ଆହୁରି, ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦ-ନଦୀ କରିବା। 20କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଓଟପକ୍ଷୀଗଣ ଆମ୍ଭର ଗୌରବ କରିବେ; କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ପାନାର୍ଥେ ପ୍ରାନ୍ତର ମଧ୍ୟରେ ଜଳ ଓ ମରୁଭୂମିରେ ନଦ-ନଦୀ ଯୋଗାଉ; 21ସେହି ଲୋକମାନଙ୍କୁ ଆମ୍ଭେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରିଅଛୁ। 22ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ; ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ବିଷୟରେ କ୍ଳାନ୍ତ ହୋଇଅଛ। 23ତୁମ୍ଭେ ଆପଣା ହୋମାର୍ଥକ ମେଷାଦି ଆମ୍ଭ ନିକଟକୁ ଆଣି ନାହଁ; କିଅବା ତୁମ୍ଭେ ଆପଣା ବଳିଦାନ ଦ୍ୱାରା ଆମ୍ଭର ସମାଦର କରି ନାହଁ। ଆମ୍ଭେ ନୈବେଦ୍ୟ ନିମନ୍ତେ ତୁମ୍ଭକୁ ଦାସ୍ୟକର୍ମ କରାଇ ନାହୁଁ; କିଅବା କୁନ୍ଦୁରୁ ନିମନ୍ତେ ତୁମ୍ଭକୁ କ୍ଳାନ୍ତ କରାଇ ନାହୁଁ। 24ତୁମ୍ଭେ ରୌପ୍ୟ ମୁଦ୍ରା ଦେଇ ଆମ୍ଭ ପାଇଁ ସୁଗନ୍ଧି ବଚ କ୍ରୟ କରି ନାହଁ, କିଅବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ; ମାତ୍ର ତୁମ୍ଭେ ଆପଣା ପାପ ଦ୍ୱାରା ଆମ୍ଭକୁ ଦାସ୍ୟକର୍ମ କରାଇଅଛ, ତୁମ୍ଭେ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ। 25ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ। 26ଆମ୍ଭଙ୍କୁ ସ୍ମରଣ କରାଅ; ଆମ୍ଭେମାନେ ପରସ୍ପରର ବିଚାର କରୁ; ତୁମ୍ଭେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା କଥା କୁହ। 27ତୁମ୍ଭର ଆଦିପିତା ପାପ କଲା ଓ ତୁମ୍ଭର ମଧ୍ୟସ୍ଥିମାନେ ଆମ୍ଭ ବିରୁଦ୍ଧରେ ଅଧର୍ମ କରିଅଛନ୍ତି। 28ଏନିମନ୍ତେ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା, ଆମ୍ଭେ ଯାକୁବକୁ ଅଭିଶାପ ଓ ଇସ୍ରାଏଲକୁ ନିନ୍ଦାପାତ୍ର କରିବା।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licence