Aller au contenu
CLYVNIQParcourez la Bible

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଯିଶାଇୟ 48

1ହେ ଇସ୍ରାଏଲ ନାମରେ ଖ୍ୟାତ ଓ ଯିହୁଦାର ଜଳାଶୟରୁ ଉତ୍ପନ୍ନ ଯାକୁବ ବଂଶ, ତୁମ୍ଭେମାନେ ଏହି କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ୱରଙ୍କ ନାମ କୀର୍ତ୍ତନ କରୁଅଛ, ମାତ୍ର ସତ୍ୟରେ କିଅବା ଧାର୍ମିକତାରେ ନୁହେଁ। 2କାରଣ ସେମାନେ ଆପଣାମାନଙ୍କୁ ପବିତ୍ର ନଗରର ଲୋକ ବୋଲି ଖ୍ୟାତ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କ ଉପରେ ନିର୍ଭର ରଖନ୍ତି; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ। 3“ଆମ୍ଭେ ପୂର୍ବକାଳର କଥା ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ; ହଁ, ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ; ଆମ୍ଭେ ତାହା କଲୁ ଓ ଅକସ୍ମାତ୍‍ ସେହି ସବୁ ଘଟିଲା। 4ତୁମ୍ଭେ ଅବାଧ୍ୟ, ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ୱରୂପ ବୋଲି ଆମ୍ଭେ ଜାଣିଲୁ। 5ଏଥିପାଇଁ ଆମ୍ଭେ ପ୍ରାଚୀନ କାଳରୁ ତୁମ୍ଭ ପ୍ରତି ତାହା ପ୍ରକାଶ କଲୁ; ତାହା ଘଟିବା ପୂର୍ବେ ତୁମ୍ଭକୁ ଜଣାଇଲୁ; ନୋହିଲେ ଅବା ତୁମ୍ଭେ କୁହନ୍ତ, ଆମ୍ଭର ଦେବତା ଏହା କରିଅଛି, ଆମ୍ଭର ଖୋଦିତ ଓ ଛାଞ୍ଚରେ ଢଳା ପ୍ରତିମା ଏହା ଆଜ୍ଞା କରିଅଛି। 6ତୁମ୍ଭେ ଶୁଣିଅଛ; ଏହିସବୁ ଦେଖ ଓ ତୁମ୍ଭେମାନେ କି ତାହା ପ୍ରକାଶ କରିବ ନାହିଁ? ଏହି ସମୟଠାରୁ ଆମ୍ଭେ ତୁମ୍ଭକୁ ନୂତନ ବିଷୟ, ଅର୍ଥାତ୍‍, ତୁମ୍ଭର ଅଜ୍ଞାତ ନିଗୂଢ଼ ବିଷୟ ଦେଖାଇଅଛୁ। 7ସେହି ସବୁ ପୂର୍ବକାଳରୁ ନୁହେଁ, ମାତ୍ର ଏବେ ସୃଷ୍ଟ ହେଲା; ଆଜି ଦିନର ପୂର୍ବେ ତୁମ୍ଭେ ତାହା ଶୁଣିଲ ନାହିଁ; ନୋହିଲେ ଅବା ଦେଖ, ଆମ୍ଭେ ସେହି ସବୁ ଜାଣିଲୁ ବୋଲି ତୁମ୍ଭେ କୁହନ୍ତ। 8ବାସ୍ତବିକ, ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ପୂର୍ବରୁ ତୁମ୍ଭର କର୍ଣ୍ଣ ମୁକ୍ତ ହୋଇ ନ ଥିଲା; କାରଣ ତୁମ୍ଭେ ଯେ ଭାରୀ ବିଶ୍ୱାସଘାତକତା କଲ ଓ ଗର୍ଭରୁ ଅଧର୍ମାଚାରୀ ବୋଲି ବିଖ୍ୟାତ ହୋଇଥିଲ, ଏହା ଆମ୍ଭେ ଜାଣିଲୁ। 9ଆମ୍ଭେ ଯେପରି ତୁମ୍ଭକୁ ଉଚ୍ଛିନ୍ନ ନ କରୁ, ଏଥିପାଇଁ ଆମ୍ଭେ ଆପଣା ନାମ ସକାଶୁ ଆପଣା କ୍ରୋଧ ସମ୍ବରଣ କରିବା ଓ ଆପଣା ପ୍ରଶଂସା ପାଇଁ ତୁମ୍ଭ ପ୍ରତି କ୍ଷାନ୍ତ ହେବା। 10ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିଅଛୁ, ମାତ୍ର ରୂପା ପରି ନୁହେଁ; ଆମ୍ଭେ ଦୁଃଖରୂପ ଉହ୍ମାଇରେ ତୁମ୍ଭକୁ ମନୋନୀତ କରିଅଛୁ। 11ଆମ୍ଭେ ଆପଣା ସକାଶୁ, କେବଳ ଆପଣା ସକାଶୁ ତାହା କରିବା; କାରଣ ଆମ୍ଭର ନାମ କାହିଁକି ଅପବିତ୍ରୀକୃତ ହେବ? ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ। 12ହେ ଯାକୁବ, ହେ ଆମ୍ଭର ଆହୂତ ଇସ୍ରାଏଲ, ଆମ୍ଭ ବାକ୍ୟରେ ମନୋଯୋଗ କର; ଆମ୍ଭେ ସେହି ଅଟୁ; ଆମ୍ଭେ ଆଦି, ଆମ୍ଭେ ହିଁ ଅନ୍ତ। 13ଆହୁରି, ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଡାହାଣ ହସ୍ତ ଗଗନମଣ୍ଡଳ ବିସ୍ତାର କରିଅଛି; ଆମ୍ଭେ ସେମାନଙ୍କୁ ଡାକିଲେ, ସେମାନେ ଏକତ୍ର ଛିଡ଼ା ହୁଅନ୍ତି।” 14“ତୁମ୍ଭେ ସମସ୍ତେ ଏକତ୍ର ହୋଇ ଶୁଣ; ସେମାନଙ୍କ ମଧ୍ୟରେ କିଏ ଏହିସବୁ ପ୍ରକାଶ କରିଅଛି? ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି; ସେ ବାବିଲ ଉପରେ ତାହାଙ୍କର ମନସ୍କାମନା ସିଦ୍ଧ କରିବ ଓ କଲ୍‍ଦୀୟମାନଙ୍କ ଉପରେ ତାହାଙ୍କର ବାହୁ ରହିବ। 15ଆମ୍ଭେ, ଆମ୍ଭେ ହିଁ ବାକ୍ୟ କହିଅଛୁ; ହଁ, ଆମ୍ଭେ ତାହାକୁ ଆହ୍ୱାନ କରିଅଛୁ; ଆମ୍ଭେ ତାହାକୁ ଆଣିଅଛୁ, ଆଉ ସେ ଆପଣା ପଥରେ କୃତକାର୍ଯ୍ୟ ହେବ। 16ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହି କଥା ଶୁଣ; ଆମ୍ଭେ ପ୍ରଥମରୁ ଗୋପନରେ କହି ନାହୁଁ; ତାହା ହେଉଥିବା ସମୟରୁ ଆମ୍ଭେ ସେଠାରେ ଅଛୁ;” ପୁଣି, ଏବେ ପ୍ରଭୁ, ସଦାପ୍ରଭୁ ମୋତେ ଓ ତାହାଙ୍କ ଆତ୍ମାକୁ ପ୍ରେରଣ କରିଅଛନ୍ତି। 17ସଦାପ୍ରଭୁ ତୁମ୍ଭର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ, ଏହି କଥା କହନ୍ତି; “ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର, ତୁମ୍ଭକୁ ଉପକାରଜନକ ଶିକ୍ଷା ଦେଉ, ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ। 18ଆଃ, ତୁମ୍ଭେ ଯଦି ଆମ୍ଭ ଆଜ୍ଞାରେ ମନୋଯୋଗ କରିଥାʼନ୍ତ! ତେବେ ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥାʼନ୍ତା; 19ତୁମ୍ଭର ବଂଶ ମଧ୍ୟ ବାଲୁକା ତୁଲ୍ୟ ଓ ତୁମ୍ଭର ଔରସଜାତ ସନ୍ତାନଗଣ ତହିଁର କଣିକାସମୂହର ତୁଲ୍ୟ ହୋଇଥାʼନ୍ତେ; ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିଅବା ବିନଷ୍ଟ ହୋଇ ନ ଥାʼନ୍ତା।” 20ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କଲ୍‍ଦୀୟମାନଙ୍କ ମଧ୍ୟରୁ ପଳାଅ; ତୁମ୍ଭେମାନେ ଗାୟନ ଧ୍ୱନିରେ ପ୍ରଚାର କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ପ୍ରକାଶ କର; ତୁମ୍ଭେମାନେ କୁହ, “ସଦାପ୍ରଭୁ ଆପଣା ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।” 21ପୁଣି, ସେ ମରୁଭୂମି ଦେଇ ସେମାନଙ୍କୁ ଗମନ କରାଇବା ବେଳେ ସେମାନେ ତୃଷାର୍ତ୍ତ ନୋହିଲେ, ସେ ସେମାନଙ୍କ ନିମନ୍ତେ ଶୈଳରୁ ଜଳସ୍ରୋତ ବୁହାଇଲେ, ଆହୁରି ସେ ଶୈଳକୁ ବିଦୀର୍ଣ୍ଣ କଲେ, ପୁଣି ତହିଁରୁ ଜଳ ନିର୍ଗତ ହେଲା। 22ସଦାପ୍ରଭୁ କହନ୍ତି, “ଦୁଷ୍ଟ ଲୋକମାନଙ୍କର କିଛି ଶାନ୍ତି ନାହିଁ।”

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licence