Aller au contenu
CLYVNIQParcourez la Bible

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଯୋହନ 3

1ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୁଦୀମାନଙ୍କର ଜଣେ ନେତା। 2ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ବରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ବର ସାଙ୍ଗରେ ନ ଥିଲେ ସେହିସବୁ କେହି କରିପାରେ ନାହିଁ। 3ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟ ଦେଖି ପାରେ ନାହିଁ।” 4ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇପାରେ? ସେ କଅଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇପାରେ? 5ଯୀଶୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। 6ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା। 7‘ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ’ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ। 8ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ପବିତ୍ର ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର।” 9ନୀକଦୀମ ତାହାଙ୍କୁ ଉତ୍ତର ଦେଲେ, ଏହିସବୁ କିପରି ହୋଇପାରେ? 10ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କଅଣ ଏହିସବୁ ବୁଝୁ ନାହଁ? 11ମୁଁ ତୁମ୍ଭକୁ ସତ୍ୟ ସତ୍ୟ କହୁଅଛି, ଆମ୍ଭେମାନେ ଯାହା ଜାଣୁ, ତାହା କହୁ, ପୁଣି, ଯାହା ଦେଖିଅଛୁ, ତାହା ବିଷୟରେ ସାକ୍ଷ୍ୟ ଦେଉ, ଆଉ ତୁମ୍ଭେମାନେ ଆମ୍ଭମାନଙ୍କର ସାକ୍ଷ୍ୟ ଗ୍ରହଣ କରୁ ନାହଁ। 12ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ? 13ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ। 14ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ପିତ୍ତଳର ଏକ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ, 15ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ।” 16କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। 17ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। 18ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ବରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ। 19ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ। 20କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ। 21କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ବରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ। 22ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିହୂଦିୟା ପ୍ରଦେଶକୁ ଗଲେ, ଆଉ ସେ ସେହି ସ୍ଥାନରେ ସେମାନଙ୍କ ସହିତ ରହି ବାପ୍ତିସ୍ମ ଦେବାକୁ ଲାଗିଲେ। 23ଯୋହନ ମଧ୍ୟ ଶାଲମ ନିକଟସ୍ଥ ଏନୋନରେ ବାପ୍ତିସ୍ମ ଦେଉଥିଲେ, କାରଣ ସେ ସ୍ଥାନରେ ବହୁତ ଜଳ ଥିଲା, ଆଉ ଲୋକେ ଆସି ବାପ୍ତିସ୍ମ ଗ୍ରହଣ କରୁଥିଲେ। 24ଯେଣୁ ଯୋହନ ସେପର୍ଯ୍ୟନ୍ତ କାରାଗାରରେ ନିକ୍ଷିପ୍ତ ହୋଇ ନ ଥିଲେ। 25ସେଥିମଧ୍ୟରେ ଶୁଚିକ୍ରିୟା ସମ୍ବନ୍ଧରେ ଯୋହନଙ୍କ ଶିଷ୍ୟମାନଙ୍କ ପକ୍ଷରୁ ଜଣେ ଯିହୁଦୀ ସହିତ ବାଦାନୁବାଦ ଘଟିଲା। 26ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାହାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦ୍ଦନ ନଦୀର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ବନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି। 27ଯୋହନ ଉତ୍ତର ଦେଲେ, ସ୍ୱର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ପ୍ରାପ୍ତ ହୋଇପାରେ ନାହିଁ। 28ମୁଁ ଯେ ଖ୍ରୀଷ୍ଟ ନୁହେଁ, କିନ୍ତୁ ତାହାଙ୍କ ଆଗରେ ପ୍ରେରିତ ହୋଇଅଛି, ଏହା ମୁଁ କହିଥିଲି ବୋଲି ତୁମ୍ଭେମାନେ ନିଜେ ନିଜେ ମୋହର ସାକ୍ଷୀ। 29ଯେ କନ୍ୟା ଗ୍ରହଣ କରନ୍ତି, ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାହାଙ୍କ କଥା ଶୁଣେ, ସେ ବରଙ୍କ ସ୍ୱର ସକାଶେ ଅତ୍ୟନ୍ତ ଆନନ୍ଦିତ ହୁଏ। ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି। 30ସେ ଅବଶ୍ୟ ବୃଦ୍ଧି ହେଉନ୍ତୁ, ପୁଣି ମୁଁ ହ୍ରାସ ହେବି। 31ଯେ ଊର୍ଦ୍ଧ୍ୱରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ; ଯେ ପୃଥିବୀରୁ ଉତ୍ପନ୍ନ, ସେ ପାର୍ଥିବ, ଆଉ ସେ ପାର୍ଥିବ କଥା କହେ; ଯେ ସ୍ୱର୍ଗରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ। 32ସେ ଯାହା ଦେଖିଅଛନ୍ତି ଓ ଶୁଣିଅଛନ୍ତି, ତାହା ସମ୍ବନ୍ଧରେ ସେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ତାହାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ। 33ଯେ ତାହାଙ୍କର ସାକ୍ଷ୍ୟ ଗ୍ରହଣ କରିଅଛି, ଈଶ୍ବର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି। 34କାରଣ ଈଶ୍ବର ଯାହାକୁ ପ୍ରେରଣ କରିଅଛନ୍ତି, ସେ ଈଶ୍ବରଙ୍କ ବାକ୍ୟ କହନ୍ତି, ଯେଣୁ ସେ ପରିମିତ ଭାବରେ ପବିତ୍ର ଆତ୍ମା ପ୍ରଦାନ କରନ୍ତି ନାହିଁ। 35ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ପୁଣି, ସମସ୍ତ ବିଷୟ ତାହାଙ୍କ ହସ୍ତରେ ଅର୍ପଣ କରିଅଛନ୍ତି। 36ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ବରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licence