ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 132
1ହେ ସଦାପ୍ରଭୋ, ଦାଉଦ ପକ୍ଷରେ ତାହାର ସକଳ କ୍ଳେଶ ସ୍ମରଣ କର; 2ସେ କିପ୍ରକାରେ ସଦାପ୍ରଭୁଙ୍କ ନିକଟରେ ଶପଥ କଲା, ଆଉ ଯାକୁବର ବଳଦାତାଙ୍କ ନିକଟରେ ମାନତ କରି କହିଲା; 3“ମୁଁ ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନିମନ୍ତେ ଏକ ସ୍ଥାନ ଓ ଯାକୁବର ବଳଦାତାଙ୍କ ନିମନ୍ତେ ଏକ ଆବାସ ପ୍ରାପ୍ତ ନ ହୁଏ, 4ସେପର୍ଯ୍ୟନ୍ତ ମୁଁ ନିଶ୍ଚୟ ଆପଣା ଗୃହ-ତମ୍ବୁରେ ପ୍ରବେଶ କରିବି ନାହିଁ, କିଅବା ଆପଣା ଶଯ୍ୟା ଉପରକୁ ଯିବି ନାହିଁ। 5ମୁଁ ଆପଣା ଚକ୍ଷୁକୁ ନିଦ୍ରା ଦେବି ନାହିଁ, ଅବା ଆପଣା ଚକ୍ଷୁପତାକୁ ଘୁମାଇବାକୁ ଦେବି ନାହିଁ।” 6ଦେଖ, ଆମ୍ଭେମାନେ ଇଫ୍ରାଥାରେ ଏ ବିଷୟ ଶୁଣିଲୁ; ଆମ୍ଭେମାନେ ବନସ୍ଥ କ୍ଷେତ୍ରରେ ତାହା ପ୍ରାପ୍ତ ହେଲୁ। 7ଆମ୍ଭେମାନେ ସଦାପ୍ରଭୁଙ୍କ ଆବାସକୁ ଯିବା; ଆମ୍ଭେମାନେ ତାହାଙ୍କ ପାଦପୀଠରେ ପ୍ରଣାମ କରିବା। 8ହେ ସଦାପ୍ରଭୋ, ଉଠ, ତୁମ୍ଭେ ସ୍ୱପରାକ୍ରମର ସିନ୍ଦୁକ ସହିତ ଆପଣା ବିଶ୍ରାମ-ସ୍ଥାନକୁ ଗମନ କର। 9ତୁମ୍ଭର ଯାଜକମାନେ ଧର୍ମରୂପ ବସ୍ତ୍ର ପରିହିତ ହେଉନ୍ତୁ; ପୁଣି, ତୁମ୍ଭ ସଦ୍ଭକ୍ତମାନେ ଆନନ୍ଦଧ୍ୱନି କରନ୍ତୁ। 10ତୁମ୍ଭ ଦାସ ଦାଉଦ ସକାଶୁ ଆପଣା ଅଭିଷିକ୍ତଙ୍କ ମୁଖ ଫେରାଇ ଦିଅ ନାହିଁ। 11ସଦାପ୍ରଭୁ ଦାଉଦ ପ୍ରତି ସତ୍ୟରେ ଶପଥ କରିଅଛନ୍ତି; ସେ ତହିଁରୁ ଫେରିବେ ନାହିଁ। “ଆମ୍ଭେ ତୁମ୍ଭ ତନୁଜାତ ଫଳକୁ ତୁମ୍ଭ ସିଂହାସନରେ ବସାଇବା। 12ଯଦି ତୁମ୍ଭ ସନ୍ତାନଗଣ ଆମ୍ଭ ନିୟମ ଓ ଆମ୍ଭେ ସେମାନଙ୍କୁ ଯେଉଁ ପ୍ରମାଣ-ବାକ୍ୟ ଶିଖାଇବା, ତାହା ପାଳନ କରିବେ, ତେବେ ସେମାନଙ୍କ ସନ୍ତାନଗଣ ହିଁ ସଦାକାଳ ତୁମ୍ଭ ସିଂହାସନରେ ବସିବେ।” 13କାରଣ ସଦାପ୍ରଭୁ ସିୟୋନକୁ ମନୋନୀତ କରିଅଛନ୍ତି; ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି। 14“ଏହା ଚିରକାଳ ଆମ୍ଭର ବିଶ୍ରାମ-ସ୍ଥାନ ଅଟେ; ଏଠାରେ ଆମ୍ଭେ ବାସ କରିବା; କାରଣ ଆମ୍ଭେ ତାହା ବାଞ୍ଛା କରିଅଛୁ। 15ଆମ୍ଭେ ତାହାର ଭକ୍ଷ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା; ଆମ୍ଭେ ତାହାର ଦରିଦ୍ରଗଣକୁ ଅନ୍ନ ଦେଇ ତୃପ୍ତ କରିବା। 16ଆମ୍ଭେ ତାହାର ଯାଜକଗଣକୁ ହିଁ ତ୍ରାଣ ରୂପ ବସ୍ତ୍ର ପିନ୍ଧାଇବା ଓ ତାହାର ସଦ୍ଭକ୍ତମାନେ ଆନନ୍ଦରେ ଉଚ୍ଚଧ୍ୱନି କରିବେ। 17ସେଠାରେ ଆମ୍ଭେ ଦାଉଦର ଶୃଙ୍ଗ ଅଙ୍କୁରିତ କରିବା; ଆମ୍ଭେ ଆପଣା ଅଭିଷିକ୍ତଙ୍କ ପାଇଁ ଏକ ପ୍ରଦୀପ ନିରୂପଣ କରିଅଛୁ। 18ତାହାଙ୍କ ଶତ୍ରୁଗଣକୁ ଆମ୍ଭେ ଲଜ୍ଜାରୂପ ବସ୍ତ୍ର ପିନ୍ଧାଇବା; ମାତ୍ର ତାହାଙ୍କ ରାଜ୍ୟ ଉନ୍ନତି ହେବ।”
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licence