ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 47
1ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦ-ସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। 2କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା। 3ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ। 4ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର ମନୋନୀତ କରିବେ, ତାହା ହିଁ ତାହାଙ୍କ ପ୍ରିୟପାତ୍ର ଯାକୁବର ଗୌରବ ସ୍ୱରୂପ। [ସେଲା] 5ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି। 6ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପ୍ରଶଂସା ଗାନ କର; ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପ୍ରଶଂସା ଗାନ କର। 7କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସା ଗାନ କର। 8ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ। 9ଅବ୍ରହାମର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି। କାରଣ ପୃଥିବୀର ଢାଲସବୁ ପରମେଶ୍ୱରଙ୍କର; ସେ ଅତିଶୟ ଉନ୍ନତ ଅଟନ୍ତି।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licence