ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 36
1ଦୁଷ୍ଟର ଅପରାଧ ମୋʼ ହୃଦୟ ମଧ୍ୟରେ କହେ, ପରମେଶ୍ୱର ବିଷୟକ ଭୟ ତାହାର ଚକ୍ଷୁର ଅଗୋଚର। 2କାରଣ ତାହାର ଅଧର୍ମ ପ୍ରକାଶିତ ଓ ଘୃଣିତ ହେବ ନାହିଁ ବୋଲି ସେ ଆପଣା ଦୃଷ୍ଟିରେ ଆପଣାକୁ ଭୁଲାଏ। 3ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନା ମାତ୍ର; ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି। 4ସେ ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରେ; ସେ ଅମଙ୍ଗଳ ମାର୍ଗରେ ଆପଣାକୁ ପ୍ରବର୍ତ୍ତାଏ; ସେ ମନ୍ଦତା ଘୃଣା କରେ ନାହିଁ। 5ହେ ସଦାପ୍ରଭୋ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସ୍ୱର୍ଗରେ ଥାଏ; ତୁମ୍ଭର ବିଶ୍ୱସ୍ତତା ଗଗନସ୍ପର୍ଶୀ। 6ତୁମ୍ଭର ଧର୍ମ ପରମେଶ୍ୱରଙ୍କ ପର୍ବତଗଣ ତୁଲ୍ୟ; ତୁମ୍ଭର ଶାସନସବୁ ମହାବାରିଧି ସ୍ୱରୂପ; ହେ ସଦାପ୍ରଭୋ, ତୁମ୍ଭେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ। 7ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ! ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି। 8ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ; ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ। 9କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି; ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା। 10ଆହେ, ତୁମ୍ଭଙ୍କୁ ଜାଣିବା ଲୋକମାନଙ୍କ ପ୍ରତି ଆପଣା ସ୍ନେହପୂର୍ଣ୍ଣ କରୁଣା ଓ ସରଳାନ୍ତଃକରଣ ଲୋକମାନଙ୍କ ପ୍ରତି ଆପଣା ଧାର୍ମିକତା ଚିରସ୍ଥାୟୀ କର। 11ଅହଙ୍କାରୀର ଚରଣ ମୋʼ ବିରୁଦ୍ଧରେ ନ ଆସୁ ଓ ଦୁଷ୍ଟର ହସ୍ତ ମୋତେ ଘଉଡ଼ାଇ ନ ଦେଉ। 12ହେଇ, ଅଧର୍ମାଚାରୀମାନେ ପତିତ ହେଲେ; ସେମାନେ ଅଧଃପତିତ ହେଲେ, ଆଉ ଉଠିବାକୁ ସମର୍ଥ ହେବେ ନାହିଁ।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · लाइसेंस