Pular para o conteúdo
CLYVNIQPercorra a Bíblia

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ପ୍ରଥମ ଶାମୁୟେଲ 16

1ଏଥିଉତ୍ତାରେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେ କାଳ ଶାଉଲ ପାଇଁ ଶୋକ କରିବ? ଆମ୍ଭେ ତ ତାହାକୁ ଇସ୍ରାଏଲ ଉପରେ ରାଜା ହୋଇଥିବା ପାଇଁ ତୁଚ୍ଛ କଲୁ, ତୁମ୍ଭେ ଆପଣା ଶୃଙ୍ଗ ତୈଳରେ ପୂର୍ଣ୍ଣ କରି ଚାଲ, ଆମ୍ଭେ ତୁମ୍ଭକୁ ବେଥଲିହିମୀୟ ଯିଶୀ ନିକଟକୁ ପଠାଇବା, କାରଣ ତାହାର ପୁତ୍ରମାନଙ୍କ ମଧ୍ୟରେ ଆମ୍ଭେ ଆପଣା ପାଇଁ ଏକ ରାଜା ଦେଖିଅଛୁ।” 2ତହିଁରେ ଶାମୁୟେଲ କହିଲେ, “ମୁଁ କିପରି ଯାଇ ପାରିବି? ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ।” ଆଉ ସଦାପ୍ରଭୁ କହିଲେ, “ତୁମ୍ଭେ ଗୋଟିଏ ଛଡ଼ା ସଙ୍ଗରେ ନିଅ ଓ କୁହ, ‘ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛୁ।’ 3ପୁଣି, ଯିଶୀକୁ ସେ ବଳିଦାନ ପାଇଁ ନିମନ୍ତ୍ରଣ କର, ତହିଁରେ ତୁମ୍ଭର ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା, ପୁଣି, ଆମ୍ଭେ ଯାହାକୁ କହିବା, ତୁମ୍ଭେ ଆମ୍ଭ ପାଇଁ ତାହାକୁ ଅଭିଷେକ କରିବ।” 4ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ବାକ୍ୟାନୁସାରେ କାର୍ଯ୍ୟ କରି ବେଥଲିହିମରେ ଉପସ୍ଥିତ ହେଲେ। ତହିଁରେ ନଗରର ପ୍ରାଚୀନମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଚାରିଲେ, “ଆପଣଙ୍କ ଆଗମନ କୁଶଳ?” 5ସେ କହିଲେ, କୁଶଳ; “ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛି; ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର, ପୁଣି, ମୋʼ ସଙ୍ଗେ ବଳିଦାନ କରିବାକୁ ଆସ।” ଏଉତ୍ତାରେ ସେ ଯିଶୀକୁ ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ। 6ପୁଣି, ସେମାନେ ଆସିଲା ଉତ୍ତାରେ ସେ ଇଲୀୟାବ୍‍ ପ୍ରତି ଦୃଷ୍ଟି କରି କହିଲେ, “ଅବଶ୍ୟ ସଦାପ୍ରଭୁଙ୍କ ଆଗରେ ତାହାଙ୍କର ଅଭିଷିକ୍ତ ଲୋକ ଉପସ୍ଥିତ।” 7ମାତ୍ର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହାର ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର; ଯେହେତୁ ଆମ୍ଭେ ଏହାକୁ ଅଗ୍ରାହ୍ୟ କଲୁ; ପୁଣି, ମନୁଷ୍ୟ ଯେପରି ଦେଖେ, ସଦାପ୍ରଭୁ ସେପରି ଦେଖନ୍ତି ନାହିଁ; କାରଣ ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି;” 8ଏଉତ୍ତାରେ ଯିଶୀ ଅବୀନାଦବକୁ ଡାକି ଶାମୁୟେଲଙ୍କର ସମ୍ମୁଖ ଦେଇ ଗମନ କରାଇଲା। ତହିଁରେ ଶାମୁୟେଲ କହିଲେ, “ସଦାପ୍ରଭୁ ଏହାକୁ ହିଁ ମନୋନୀତ କରି ନାହାନ୍ତି।” 9ତେବେ ଯିଶୀ ଶମ୍ମକୁ ଗମନ କରାଇଲା; ତହିଁରେ ସେ କହିଲେ, “ସଦାପ୍ରଭୁ ଏହାକୁ ମଧ୍ୟ ମନୋନୀତ କରି ନାହାନ୍ତି।” 10ଏହିରୂପେ ଯିଶୀ ଆପଣାର ସାତ ପୁତ୍ରଙ୍କୁ ଶାମୁୟେଲଙ୍କ ସମ୍ମୁଖରେ ଗମନ କରାଇଲା; ମାତ୍ର ଶାମୁୟେଲ ଯିଶୀକୁ କହିଲେ, “ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି।” 11ଏଉତ୍ତାରେ ଶାମୁୟେଲ ଯିଶୀକୁ କହିଲେ, “ତୁମ୍ଭର ସବୁ ସନ୍ତାନ କି ଏଠାରେ ଅଛନ୍ତି?” ସେ କହିଲା, “କେବଳ କନିଷ୍ଠଟି ବାକି ଅଛି, ଆଉ ଦେଖ, ସେ ମେଷପଲ ଚରାଉଛି।” ତହିଁରେ ଶାମୁୟେଲ ଯିଶୀକୁ କହିଲେ, “ଲୋକ ପଠାଇ ତାକୁ ଅଣାଅ; ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେମାନେ (ଭୋଜନରେ) ବସିବୁ ନାହିଁ।” 12ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା। ସେ ଈଷତ୍‍ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, “ଉଠ, ଏହାକୁ ଅଭିଷେକ କର; ଏ ସେହି ଲୋକ।” 13ତହୁଁ ଶାମୁୟେଲ ତୈଳଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ; ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରାନ୍ତ କଲେ। ଏଉତ୍ତାରେ ଶାମୁୟେଲ ଉଠି ରାମାକୁ ଚାଲିଗଲେ। 14ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ; ପୁଣି, ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା। 15ଏଉତ୍ତାରେ ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, “ଦେଖନ୍ତୁ, ପରମେଶ୍ୱରଙ୍କଠାରୁ ଏକ ମନ୍ଦ ଆତ୍ମା ଆପଣଙ୍କୁ ବିରକ୍ତ କରୁଅଛି। 16ଏଣୁ ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ କରିବା ପାଇଁ ଆମ୍ଭମାନଙ୍କ ପ୍ରଭୁ ଆପଣା ସମ୍ମୁଖସ୍ଥ ଦାସମାନଙ୍କୁ ଆଜ୍ଞା କରନ୍ତୁ; ତହିଁରେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଆପଣଙ୍କ ଉପରେ ଥିବା ବେଳେ, ସେ ଲୋକ ଆପଣା ହାତରେ ବଜାଇଲେ ଆପଣ ଭଲ ହୋଇଯିବେ।” 17ତହୁଁ ଶାଉଲ ଆପଣା ଦାସମାନଙ୍କୁ କହିଲେ, “ଆଚ୍ଛା, ଯେ ଭଲ ବଜାଇ ପାରେ, ଏପରି ଏକ ଜଣ ମୋʼ ପାଇଁ ଦେଖି ତାହାକୁ ମୋʼ ନିକଟକୁ ଆଣ।” 18ତହିଁରେ ଯୁବାମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା; “ଦେଖନ୍ତୁ, ମୁଁ ବେଥଲିହିମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି, ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ, ପୁଣି, ସଦାପ୍ରଭୁ ତାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି।” 19ଏହେତୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାକୁ କହିଲେ, “ତୁମ୍ଭର ପୁତ୍ର ଦାଉଦ, ଯେ ମେଷପଲ ସଙ୍ଗରେ ଥାଏ, ତାକୁ ମୋʼ ନିକଟକୁ ପଠାଇଦିଅ।” 20ତହିଁରେ ଯିଶୀ ରୁଟିରେ ନଦା ଏକ ଗଧ, ଏକ କୁମ୍ପା ଦ୍ରାକ୍ଷାରସ ଓ ଏକ ଛେଳିଛୁଆ ନେଇ ଆପଣା ପୁତ୍ର ଦାଉଦଙ୍କ ହସ୍ତରେ ଶାଉଲଙ୍କ ନିକଟକୁ ପଠାଇଲା। 21ତହୁଁ ଦାଉଦ ଶାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶୟ ସ୍ନେହ କଲେ; ତହିଁରେ ସେ ତାଙ୍କର ଅସ୍ତ୍ରବାହକ ହେଲେ। 22ଏଉତ୍ତାରେ ଶାଉଲ ଯିଶୀକୁ କହି ପଠାଇଲେ, ବିନୟ କରୁଅଛି, “ଦାଉଦଙ୍କୁ ମୋʼ ସମ୍ମୁଖରେ ଛିଡ଼ା ହେବାକୁ ଦିଅ; କାରଣ ସେ ମୋʼ ଦୃଷ୍ଟିରେ ଅନୁଗ୍ରହ ପାଇଅଛି।” 23ଏଣୁ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଯେତେବେଳେ ଶାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହାତରେ ବଜାନ୍ତି; ତହିଁରେ ଶାଉଲ ଆଶ୍ୱାସ ପାଆନ୍ତି ଓ ଭଲ ହୁଅନ୍ତି, ପୁଣି, ମନ୍ଦ ଆତ୍ମା ତାଙ୍କୁ ଛାଡ଼ିଯାଏ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licença