ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 118
1ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ; ହଁ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 2ଇସ୍ରାଏଲ ଏବେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ। 3ହାରୋଣ-ବଂଶ ଏବେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ। 4ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ। 5ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି; ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ। 6ସଦାପ୍ରଭୁ ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ; ମନୁଷ୍ୟ ମୋହର କଅଣ କରିପାରେ? 7ମୋହର ସହାୟମାନଙ୍କ ସହିତ ସଦାପ୍ରଭୁ ମୋହର ସପକ୍ଷ; ଏହେତୁ ମୁଁ ଆପଣା ଘୃଣାକାରୀମାନଙ୍କ ଉପରେ ଆପଣା ବାଞ୍ଛାର ସିଦ୍ଧି ଦେଖିବି। 8ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। 9ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। 10ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ; ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। 11ସେମାନେ ମୋତେ ଚାରିଆଡ଼େ ଘେରିଲେ; ହଁ, ସେମାନେ ମୋତେ ଚାରିଆଡ଼େ ଘେରିଲେ; ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। 12ସେମାନେ ମହୁମାଛି ପରି ମୋତେ ଚାରିଆଡ଼େ ଘେରିଲେ; ସେମାନେ କଣ୍ଟା ନିଆଁ ପରି ଲିଭି ଯାଇଅଛନ୍ତି; ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। 13ମୁଁ ଯେପରି ନିପତିତ ହେବି, ଏଥିପାଇଁ ତୁମ୍ଭେ ମୋତେ ଭାରୀ ଧକ୍କା ଦେଲ; ମାତ୍ର ସଦାପ୍ରଭୁ ମୋହର ସାହାଯ୍ୟ କଲେ। 14ସଦାପ୍ରଭୁ ମୋହର ବଳ ଓ ଗାନ; ପୁଣି, ସେ ମୋହର ପରିତ୍ରାଣ ହୋଇଅଛନ୍ତି। 15ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ପରିତ୍ରାଣର ଧ୍ୱନି ଥାଏ; ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ। 16ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ; ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ। 17ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି ଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି। 18ସଦାପ୍ରଭୁ ମୋତେ ଭାରୀ ଶାସ୍ତି ଦେଇଅଛନ୍ତି; ମାତ୍ର ସେ ମୃତ୍ୟୁୁ ହସ୍ତରେ ମୋତେ ସମର୍ପି ଦେଇ ନାହାନ୍ତି। 19ମୋʼ ପାଇଁ ଦ୍ୱାରସବୁ ଫିଟାଅ ଯଦ୍ଦ୍ୱାରା ଧାର୍ମିକମାନେ ପ୍ରବେଶ କରନ୍ତି; ମୁଁ ତହିଁ ମଧ୍ୟରେ ପ୍ରବେଶ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। 20ଏହି ସଦାପ୍ରଭୁଙ୍କ ଦ୍ୱାର; ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ। 21ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛ ଓ ମୋହର ପରିତ୍ରାଣ ହୋଇଅଛି। 22ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହୋଇଅଛି। 23ଏହା ସଦାପ୍ରଭୁଙ୍କ କର୍ମ; ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ। 24ଏହା ସଦାପ୍ରଭୁଙ୍କ କୃତ ଦିନ; ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା। 25ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ପରିତ୍ରାଣ କର; ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ସଫଳତା ଆଜ୍ଞା କର। 26ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ। 27ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି; ବେଦିର ଶୃଙ୍ଗରେ ରଜ୍ଜୁ ଦ୍ୱାରା ବଳିକୁ ବାନ୍ଧ। 28ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି। 29ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ହଁ, ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licença