ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 135
1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର; ହେ ସଦାପ୍ରଭୁଙ୍କ ଦାସମାନେ, ତାହାଙ୍କର ପ୍ରଶଂସା କର। 2ସଦାପ୍ରଭୁଙ୍କ ଗୃହରେ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ-ପ୍ରାଙ୍ଗଣରେ ସେବା କରୁଥାଅ ଯେ ତୁମ୍ଭେମାନେ 3ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; କାରଣ ତାହା ମନୋହର। 4ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ଓ ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ କରିଅଛନ୍ତି। 5କାରଣ ମୁଁ ଜାଣେ, ସଦାପ୍ରଭୁ ମହାନ ଓ ଆମ୍ଭମାନଙ୍କ ପ୍ରଭୁ ସକଳ ଦେବତାଗଣ ଅପେକ୍ଷା ଶ୍ରେଷ୍ଠ। 6ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା କରିଅଛନ୍ତି। 7ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉଠାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି; ସେ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି। 8ସେ ମିସରର ପ୍ରଥମଜାତ ମନୁଷ୍ୟ ଓ ପଶୁ ଉଭୟକୁ ସଂହାର କଲେ। 9ହେ ମିସର, ସେ ତୁମ୍ଭ ମଧ୍ୟକୁ, ଫାରୋ ପ୍ରତିକୂଳରେ, ତାହାର ଦାସଗଣ ପ୍ରତିକୂଳରେ ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ପ୍ରେରଣ କଲେ। 10ସେ ଅନେକ ଗୋଷ୍ଠୀଙ୍କୁ ସଂହାର କଲେ, ପରାକ୍ରାନ୍ତ ରାଜାମାନଙ୍କୁ, 11ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ବାଶନର ରାଜା ଓଗ୍କୁ, ଆଉ କିଣାନର ସକଳ ରାଜ୍ୟକୁ ବଧ କଲେ। 12ପୁଣି, ସେମାନଙ୍କର ଦେଶ ଅଧିକାର ନିମନ୍ତେ ଦେଲେ, ଆପଣା ଲୋକ ଇସ୍ରାଏଲକୁ ଅଧିକାରାର୍ଥେ ଦେଲେ। 13ହେ ସଦାପ୍ରଭୋ, ତୁମ୍ଭ ନାମ ଅନନ୍ତକାଳସ୍ଥାୟୀ; ହେ ସଦାପ୍ରଭୋ, ତୁମ୍ଭ ସ୍ମରଣ ପୁରୁଷ-ପରମ୍ପରାରେ ଥାଏ। 14ଯେହେତୁ ସଦାପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ। 15ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ। 16ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ, ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ; 17ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ; କିଅବା ସେମାନଙ୍କ ମୁଖରେ ନିଶ୍ୱାସପ୍ରଶ୍ୱାସ ନାହିଁ। 18ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ନିର୍ଭରକାରୀ ପ୍ରତ୍ୟେକେ ସେମାନଙ୍କ ତୁଲ୍ୟ ହେବେ। 19ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର; 20ହେ ଲେବୀ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର। 21ଯିରୂଶାଲମବାସୀ ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହେଉନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licença