ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 149
1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର। 2ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ। 3ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ; ସେମାନେ ଦାରା ଓ ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ। 4କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି; ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ। 5ଭକ୍ତଗଣ ବିଜୟରେ ଉଲ୍ଲସିତ ହେଉନ୍ତୁ; ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ। ସେମାନଙ୍କ କଣ୍ଠରେ ପରମେଶ୍ୱରଙ୍କ ଉଚ୍ଚ ପ୍ରଶଂସା ଥାଉ; 6ପୁଣି, ସେମାନଙ୍କ ହସ୍ତରେ ଦ୍ୱିବିଧ ଖଡ୍ଗ ଥାଉ। 7ଗୋଷ୍ଠୀୟମାନଙ୍କୁ ପ୍ରତିଫଳ ଦେବା ପାଇଁ, ଜନବୃନ୍ଦଙ୍କୁ ଶାସ୍ତି ଦେବା ପାଇଁ, 8ସେମାନଙ୍କ ରାଜାଗଣକୁ ଶିକୁଳିରେ ଓ ସେମାନଙ୍କ ପ୍ରଧାନବର୍ଗକୁ ଲୌହବେଡ଼ିରେ ବାନ୍ଧିବା ପାଇଁ, 9ସେମାନଙ୍କ ପ୍ରତିକୂଳରେ ଲିଖିତ ବିଚାର ନିଷ୍ପନ୍ନ କରିବା ପାଇଁ, ତାହାଙ୍କ ଭକ୍ତବୃନ୍ଦର ଏହି ମର୍ଯ୍ୟାଦା। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licença