ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 64
1ହେ ପରମେଶ୍ୱର, ମୋʼ କାକୂକ୍ତିର ରବ ଶ୍ରବଣ କର; ଶତ୍ରୁ ଭୟରୁ ମୋʼ ଜୀବନ ରକ୍ଷା କର। 2କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ; 3ସେମାନେ ଖଡ୍ଗ ପରି ଆପଣା ଜିହ୍ୱା ଶାଣିତ କରିଅଛନ୍ତି 4ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି; ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ; ସେମାନେ ହଠାତ୍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ। 5ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି; ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି; ସେମାନେ କହନ୍ତି, “ଆମ୍ଭମାନଙ୍କୁ କିଏ ଦେଖିବ?” 6ସେମାନେ ଅଧର୍ମ କଳ୍ପନା କରନ୍ତି; “ଆମ୍ଭେମାନେ ଯତ୍ନପୂର୍ବକ କଳ୍ପନା ସିଦ୍ଧ କରିଅଛୁ” ବୋଲି ସେମାନେ କହନ୍ତି; ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର। 7ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ତୀର ନିକ୍ଷେପ କରିବେ; ସେଥିରେ ସେମାନେ ହଠାତ୍ ଆହତ ହେବେ। 8ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ; 9ପୁଣି, ସକଳ ମନୁଷ୍ୟ ଭୟ କରିବେ, ସେମାନେ ପରମେଶ୍ୱରଙ୍କ କର୍ମ ପ୍ରକାଶ କରିବେ ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ। 10ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ ଓ ତାହାଙ୍କର ଶରଣାଗତ ହେବ। ପୁଣି, ସରଳାନ୍ତଃକରଣ ସମସ୍ତେ ସଦାପ୍ରଭୁଙ୍କଠାରେ ପ୍ରଶଂସା କରିବେ।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licença