Pular para o conteúdo
CLYVNIQPercorra a Bíblia

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ପ୍ରକାଶିତ 1

1ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ବର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ। 2ସେହି ଯୋହନ ଈଶ୍ବରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍‍ ସେ ଯାହାସବୁ ଦର୍ଶନ ଦେଖିଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି। 3ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ। 4ଯୋହନ ଏସିଆ ଅଞ୍ଚଳରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ 5ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି, 6ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ବର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍‍। 7“ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ସେହିପରି ହେଉ, ଆମେନ୍‍।” 8“ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ,” ସେହି ପ୍ରଭୁ ଈଶ୍ବର କହନ୍ତି, “ଆମ୍ଭେ ଆରମ୍ଭ ଓ ଶେଷ।” 9ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ବରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ୱୀପରେ ଥିଲି। 10ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି, 11“ତୁମ୍ଭେ ଯାହା ଦର୍ଶନ ଦେଖୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ସହରରେ ଥିବା ସପ୍ତ ମଣ୍ଡଳୀଗଣକୁ, ଅର୍ଥାତ୍‍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟାଥିରା, ସାର୍ଦ୍ଦୀ, ଫିଲାଦେଲ୍‌ଫିଆ ଓ ଲାଅଦିକିଆ ନିକଟକୁ ପ୍ରେରଣ କର।” 12କିଏ ମୋ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି। ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ, 13ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ; 14ଯୀଶୁଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଳବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ, 15ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ। 16ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା। 17ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ, 18“ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି। 19ଅତଏବ, ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହାପରେ ଘଟିବ, ସେହିସବୁ ଲିପିବଦ୍ଧ କର। 20ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି।”

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · Licença