跳到正文
CLYVNIQ漫步圣经

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ହିତୋପଦେଶ 19

1ଯେଉଁ ଦରିଦ୍ର ଆପଣା ସିଦ୍ଧତାରେ ଚଳେ, ସେ କୁଟିଳୋଷ୍ଠ ଓ ମୂର୍ଖ ଲୋକ ଅପେକ୍ଷା ଭଲ। 2ମଧ୍ୟ ପ୍ରାଣ ବିଦ୍ୟାହୀନ ହେବାର ଭଲ ନୁହେଁ; ପୁଣି, ଯେ ବେଗ କରି ପାଦ ପକାଏ, ସେ ପାପ କରେ। 3ମନୁଷ୍ୟର ଅଜ୍ଞାନତା ତାହାର ଗତି ଓଲଟାଇ ପକାଏ, ପୁଣି, ତାହାର ମନ ସଦାପ୍ରଭୁଙ୍କ ବିରୁଦ୍ଧରେ ବିରକ୍ତ ହୁଏ। 4ଧନ ବହୁତ ମିତ୍ର ଲାଭ କରେ; ମାତ୍ର ଦରିଦ୍ର ଲୋକ ଆପଣା ମିତ୍ରଠାରୁ ଭିନ୍ନ ହୁଏ। 5ମିଥ୍ୟାସାକ୍ଷୀ ଅଦଣ୍ଡିତ ନୋହିବ; ପୁଣି, ମିଥ୍ୟାବାଦୀ ରକ୍ଷା ପାଇବ ନାହିଁ। 6ଅନେକେ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି, ପୁଣି, ପ୍ରତି ଜଣ ଦାନଶୀଳ ଲୋକର ମିତ୍ର ହୁଅନ୍ତି। 7ଦରିଦ୍ରର ସମସ୍ତ ଭ୍ରାତା ତାହାକୁ ଘୃଣା କରନ୍ତି; ତାହାର ମିତ୍ରମାନେ ତାହାଠୁଁ କେତେ ଅଧିକ ଦୂରକୁ ନ ଯିବେ! ସେ ଆଳାପ ଚେଷ୍ଟା କରେ, ମାତ୍ର ସେମାନେ ନାହାନ୍ତି। 8ଯେଉଁ ଲୋକ ବୁଦ୍ଧି ଲାଭ କରେ, ସେ ଆପଣା ପ୍ରାଣକୁ ପ୍ରେମ କରେ; ଯେ ବିବେଚନା ରକ୍ଷା କରେ, ସେ ମଙ୍ଗଳ ପାଏ। 9ମିଥ୍ୟାସାକ୍ଷୀ ଅଦଣ୍ଡିତ ନୋହିବ; ପୁଣି, ମିଥ୍ୟାବାଦୀ ବିନଷ୍ଟ ହେବ। 10ମୂର୍ଖର ସୁଖଭୋଗ ଅନୁପଯୁକ୍ତ; ଅଧିପତିମାନଙ୍କ ଉପରେ ଦାସର କର୍ତ୍ତୃତ୍ୱ ତତୋଧିକ ଅନୁପଯୁକ୍ତ। 11ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧ କରିବାକୁ ଧୀର କରେ; ପୁଣି, ଦୋଷ ଛାଡ଼ିଦେବାର ତାହାର ଭୂଷଣ। 12ରାଜାର କୋପ ସିଂହ ଗର୍ଜ୍ଜନ ପରି; ମାତ୍ର ତାହାର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ। 13ମୂର୍ଖ ପୁତ୍ର ତାହାର ପିତାର ଦୁଃଖଦାୟକ; ପୁଣି, ସ୍ତ୍ରୀର କଳି ଅବିରତ ବିନ୍ଦୁପାତ ପରି। 14ଗୃହ ଓ ଧନ ମାତା-ପିତାଙ୍କଠାରୁ ପ୍ରାପ୍ତ ଅଧିକାର; ମାତ୍ର ବୁଦ୍ଧିମତୀ ଭାର୍ଯ୍ୟା ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ। 15ଆଳସ୍ୟ ଘୋର ନିଦ୍ରାରେ ପକାଏ; ପୁଣି, ଅଳସ ପ୍ରାଣୀ କ୍ଷୁଧା ଭୋଗ କରିବ। 16ପରମେଶ୍ୱରଙ୍କ ଆଜ୍ଞାପାଳନକାରୀ ଆପଣା ପ୍ରାଣ ରକ୍ଷା କରେ; ମାତ୍ର ଆପଣା ପଥ ବିଷୟରେ ଯେ ଅସାବଧାନ ହୁଏ, ସେ ମରିବ। 17ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ; ପୁଣି, ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ। 18ଆପଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି; ପୁଣି, ତୁମ୍ଭର ମନ ତାହାର ବିନାଶ ଇଚ୍ଛା ନ କରୁ। 19ଅତି ରାଗୀ ଲୋକ ଶାସ୍ତି ଭୋଗ କରିବ, ଯେହେତୁ ତୁମ୍ଭେ ତାହାକୁ ଥରେ ଉଦ୍ଧାର କଲେ, ତାହା ତୁମ୍ଭକୁ ପୁନର୍ବାର କରିବାକୁ ହେବ। 20ଶେଷାବସ୍ଥାରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର। 21ମନୁଷ୍ୟର ମନରେ ନାନା ସଂକଳ୍ପ ଥାଏ, ମାତ୍ର ସଦାପ୍ରଭୁଙ୍କ ମନ୍ତ୍ରଣା ସ୍ଥିର ହେବ। 22ମନୁଷ୍ୟର ବାସନା ତାହାର ଦୟାର ପରିମାଣ ଏବଂ ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ରେଷ୍ଠ। 23ସଦାପ୍ରଭୁଙ୍କ ବିଷୟକ ଭୟ ଜୀବନଦାୟକ, ତାହା ଯେଉଁ ଲୋକଠାରେ ଥାଏ, ସେ ତୃପ୍ତ ହୋଇ ବାସ କରିବ; ଆପଦ ତାହାର ନିକଟ ଦେଇ ଯିବ ନାହିଁ। 24ଅଳସୁଆ ଆପଣା ଥାଳୀରେ ହାତ ବୁଡ଼ାଇଲେ, ଆଉ ଥରେ ତାହା ଆପଣା ମୁଖକୁ ନେବାକୁ ସୁଦ୍ଧା ଇଚ୍ଛା କରେ ନାହିଁ। 25ନିନ୍ଦକକୁ ପ୍ରହାର କଲେ, ନିର୍ବୋଧ ଲୋକ ସତର୍କତା ଶିକ୍ଷା କରିବ; ପୁଣି, ବୁଦ୍ଧିମାନ‍କୁ ଅନୁଯୋଗ କଲେ, ସେ ଜ୍ଞାନ ବୁଝିବ। 26ଯେଉଁ ପୁତ୍ର ଆପଣା ପିତାର ଧନ ନଷ୍ଟ କରେ, ପୁଣି, ଆପଣା ମାତାକୁ ତଡ଼ି ଦିଏ, ସେ ଲଜ୍ଜାକର ଓ ଅପମାନଜନକ। 27ହେ ଆମ୍ଭର ପୁତ୍ର, ଯେଉଁ ଉପଦେଶ ଜ୍ଞାନର କଥାରୁ ତୁମ୍ଭକୁ ଭୁଲାଏ, ତାହା ଶୁଣିବାରୁ ନିବୃତ୍ତ ହୁଅ। 28ପାଷାଣ୍ଡ ସାକ୍ଷୀ ନ୍ୟାୟ ବିଚାରକୁ ନିନ୍ଦା କରେ ଓ ଦୁଷ୍ଟର ମୁଖ ଅଧର୍ମ ଗିଳେ। 29ନିନ୍ଦକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ ଅଛି।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · 许可