ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 111
1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। 2ସଦାପ୍ରଭୁଙ୍କ କାର୍ଯ୍ୟସକଳ ମହତ, ଯେଉଁମାନେ ତହିଁରେ ସନ୍ତୁଷ୍ଟ, ସେମାନେ ତାହାସବୁ ଅନୁସନ୍ଧାନ କରନ୍ତି। 3ତାହାଙ୍କର କ୍ରିୟା, ସମ୍ଭ୍ରମ ଓ ଗୌରବ ସ୍ୱରୂପ; ଓ ତାହାଙ୍କର ଧର୍ମ ଅନନ୍ତକାଳସ୍ଥାୟୀ। 4ସେ ଆପଣାର ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣ କରାଇଅଛନ୍ତି; ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ। 5ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି; ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ। 6ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଅଛନ୍ତି। 7ତାହାଙ୍କ ହସ୍ତର କର୍ମସକଳ ସତ୍ୟ ଓ ନ୍ୟାଯ୍ୟ, ତାହାଙ୍କ ବିଧିସକଳ ଅଟଳ। 8ତାହାସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ; ତାହାସବୁ ସତ୍ୟତା ଓ ସରଳତାରେ ସାଧିତ। 9ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇଅଛନ୍ତି; ସେ ଅନନ୍ତକାଳ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି; ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ। 10ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ; ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · 许可